ସିଏଏ ଓ ଏନ୍‌ଆରସି ଭଳି କରୋନା ଭୂତାଣୁଟି ସରକାରଙ୍କ ପାଇଁ ଅନ୍ୟ ଏକ ଅସ୍ତ୍ର ସାଜିନି ତ?

ଆମୋଷ ସୁନା

ଲୋକଙ୍କୁ ଘରକୁ ଫେରିବାକୁ ଆଦୌ ସୁଯୋଗ ନ ଦେଇ ହଠାତ୍ ଲକ ଡାଉନ୍ ଘୋଷଣା କରିବାର ଗୁମର ଧିରେ ଧିରେ ଫିଟୁଛି । ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୪ ତାରିଖ ରାତି ୮ଟାରେ ଘୋଷଣା କରିଦେଲେ ଯେ, ରାତି ୧୨ ଟାରୁ ‘ଲକ୍ ଡାଉନ୍‌’ ଲାଗୁ ହେବ, ତା ପୁଣି ଏପ୍ରିଲ ୧୪ ତାରିଖ ଯାଏଁ ଅର୍ଥାତ ଦୀର୍ଘ ୨୧ ଦିନ ପାଇଁ । କରୋନାର ପ୍ରଭାବକୁ ଗୁରୁତ୍ୱ ଦେଇ ଏପରି ହଠାତ୍ ଘୋଷଣା କରିଦେଲେ ବୋଲି ସେତେବେଳେ କେତେକ କହୁଥିବାବେଳେ ଅନେକେ ଏହାକୁୁ ସମାଲୋଚନା କଲେ । କହିଲେ, ଲୋକଙ୍କୁ କିଛି ଦିନର ସମୟ ଦେବା କଥା ଘରକୁୁ ଫେରିବାକୁ । ଅନେକ ମହିଳା ବି ନିଜନିଜ କର୍ମକ୍ଷେତ୍ରରେ ପିଲାପରିବାରଠୁ ଦୂରରେ ରହୁଛନ୍ତି । ଜେତେ ଲୋକ ଟ୍ରେନରେ ବି ଥିବେ, ହଠାତ୍ ଏହା ଜାଣିଲେ ସେମାନେ କୋଉଠି ବା କେମିତି ଆଶ୍ରୟ ନେବେ ଏହା ବୁଦ୍ଧିଜୀବୀ ମହଲ ଚିନ୍ତା କଲେ । ଗଣମାଧ୍ୟମ ଓ ସୋସିଏଲ ମିଡିଆରେ ବି ଏ ନେଇ ଅନେକ ପ୍ରତିବାଦ ହେଲା, ହେଲେ କୌଣସିଥିର ପ୍ରଭାବ ପଡ଼ି ନ ଥିଲା ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଉପରେ । ଲୋକେ ଭାବିଲେ ଯେ, ପ୍ରଧାନମନ୍ତ୍ରୀ ଯେବେ ଏହା ଘୋଷଣା କରିଛନ୍ତି, ନିହାତି ଏଥିରେ ଜନସାଧାରଣଙ୍କ ମଙ୍ଗଳ ରହିଥିବ । ସେଥିପାଇଁ ପରେ ସମସ୍ତେ ଚୁପ ରହିଲେ ।
କିନ୍ତୁ ଶ୍ରମିକ ବର୍ଗର ଲୋକଙ୍କ ପ୍ରତି ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଯେଭଳି ଅତ୍ୟାଚାର ହେଉଛି, ସେଥିପ୍ରତି ସରକାର ପ୍ରାୟତଃ ଚୁପ୍ । କହିବାକୁ ଗଲେ, ଶ୍ରମିକ ବର୍ଗ ଉପରେ ନିର୍ଯ୍ୟାତନାକୁ ନୀରବ ସମର୍ଥନ କରୁଛନ୍ତି ଯେମିତି! ନିକଟରେ ତାମିଲନାଡ଼ୁର ତ୍ରିସୁରଠାରୁ ଯେପରି ଉଭୟ ମହିଳା ଓ ପୁରୁଷଙ୍କ ଉପରେ ଅମାନୁଷିକ ଆକ୍ରମଣର ଭିଡିଓ ବିଭିନ୍ନ ମାଧ୍ୟମରେ ଲୋକଙ୍କ ନିକଟରେ ପହଂଚିଲା, ତାହା ଦେଖି ଯାହାର ବି ମନ ବ୍ୟାକୁଳ ହେଇଯିବ, ସେମାନଙ୍କୁ ଉଦ୍ଧାର କରିବା ପାଇଁ । ହେଲେ କେନ୍ଦ୍ର ସରକାର ସେ ବାବଦରେ ପଦୁଟିଏ ବି କହିଥିବା ଶୁଣାଗଲା ନାହିଁ । ଅନେକ ଜାଗାରେ ତ ଲୋକେ ଘରକୁ ଫେରିବାକୁ ବ୍ୟାକୁଳ ହୋଇ ଫେରିବାର ସବୁ ଆଶା ମଉଳି ଯିବା ପରେ ବାଧ୍ୟ ହୋଇ ପାଦରେ ଚାଲିଚାଲି ହେଉ କି ସାଇକେଲରେ ହେଉ, ହଜାର ହଜାର କିଲୋମିଟର ଅତିକ୍ରମ କରି ନିଜ ଘରେ ପହଂଚିବାକୁ ବାହାରି ପଡ଼ିଲେ । ସେ ଭିତରୁ କେତେକ ଗନ୍ତବ୍ୟ ସ୍ଥଳରେ ପହଂଚି ପାରିଥିବାବେଳେ ଅନେକ ରାସ୍ତାରେ ମୃତ୍ୟୁ ବରଣ କଲେ । ରାସ୍ତାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପ୍ରକୃତ ସଂଖ୍ୟା କେହି କହି ନ ପାରିଲେ ବି, ଅନ୍ତତଃପକ୍ଷେ ୭୩ ଜଣ ଏଯାଏଁ ପ୍ରାଣ ହରାଇଥିବା ବିଭିନ୍ ସୂତ୍ରରୁ ଜଣାପଡ଼ିଛି । ଅଳ୍ପ କିଛି ଦିନ ପୂର୍ବେ ନିଜ ଘରକୁ ଫେରୁଥିବାବେଳେ ବାଟରେ ଟ୍ରେନ ଲାଇନ ଉପରେ ଶୋଇଥିବା ସମୟରେ ୧୬ ଜଣ ଶ୍ରମିକଙ୍କୁ ମାଲବାହି ଟ୍ରେନ ଦଳି ଦେଇଥିବା ଖବର ଆଉ କାହାକୁ ଅଛପା ହୋଇ ରହି ନାହିଁ । ତେବେ ଲୋକେ ନିଜ ଘରକୁ ଫେରିବାକୁୁ ଯେମିତି କସରତ କରୁଛନ୍ତିି, ସେ କଥା ସରକାର ବି ଜାଣୁଛନ୍ତି । ତଥାପି ବି କାହା ପ୍ରତି କିଛି ଦରଦ ନ ଥିଲା ପରି ପ୍ରାୟ ନୀରବ ଜଣା ପଡ଼ୁଛି । ସବୁଆଡ଼ୁ ଯେତେବେଳେ ଚାପ ପଡ଼ିଲା ଶେଷରେ ବାଧ୍ୟ ହୋଇ କେନ୍ଦ୍ର ସରକାର ଟ୍ରେନ ଯୋଗେ ନିଜ ଅଂଚଳକୁ ଲୋକଙ୍କୁ ପଠାଇବାକୁ ପ୍ରତିଶୃତି ଦେଲେ । ସେଥିରେ ବି ଲୋକଙ୍କ ପ୍ରତି କୌଣସି ଦରଦ ନ ଥିଲା ପରି ସେମାନଙ୍କଠୁୁ ଟ୍ରେନ ଟିକଟ ପଇସା ଆଦାୟ କରିଥିବା ଅଭିଯୋଗ ହେଲା । ଲୋକେ ଦୀର୍ଘ ଦିନ ଖିଆପିଆ ଠିକରେ କରି ପାରୁ ନଥିବାବେଳେ ସରକାର ସେପରି ଲୋକଙ୍କଠୁ ଅର୍ଥ ଆଦାୟ କରିବା ଠିକ ନୁହେଁ ବୋଲି ବିଭିନ୍ନ ଗୋଷ୍ଠୀ ପକ୍ଷରୁ ପ୍ରବଳ ବିରୋଧ ହେଲା । ବିରୋଧି କଂଗ୍ରେସ ଦଳ ତ ପୁରା ଘୋଷଣା କରିଦେଲା ଯେ, ଲୋକଙ୍କ ଯାତ୍ରା ଖର୍ଚ୍ଚ ସେ ନିଜେ ବହନ କରିବ । ତାପରେ ରେଳ ବିଭାଗ ଚେଇଁ ଲୋକଙ୍କଠୁ ଟିକଟ ପଇସା ନେଉ ନ ଥିବା କହୁଥିବାବେଳେ ଅନେକ ସ୍ଥଳରେ ଏବେ ବି ଟିକଟ ପଇସା ନିଆ ଯାଉଛି ବୋଲି ଅଭିଯୋଗ ହେଉଛି ।
ସେ ଯାହା ବି ହେଉ, ବର୍ତ୍ତମାନ ମଧ୍ୟ ଲୋକେ ହଜାର ହଜାର କିଲୋମିଟର ସାଇକେଲ ଯୋଗେ ପଳାଇ ଆସୁଥିବା ଶୁଣିବାକୁ ମିଳୁଛି । ସରକାରଙ୍କ ଉପରେ ଯଦି ଲୋକଙ୍କର ଭରସା ଥାନ୍ତା, ତେବେ ଜୀବନ ବିକଳରେ ସେମାନେ ସରକାରଙ୍କ ଯାନବାହନରେ ଘରକୁ ଫେରିବାକୁ ଅପେକ୍ଷା କରନ୍ତେ, କିନ୍ତୁ ଏମିତି ଚାଲିଚାଲି କି ସାଇକେଲରେ କେବେ ବି ଘରକୁ ଫେରନ୍ତେନି ବୋଲି ଯିଏ ବି କହିବ ।
ଅନ୍ୟ ପକ୍ଷରେ ବିଦେଶରେ ଫଶି ରହିଥିବା ଲୋକଙ୍କ ନିମନ୍ତେ ସରକାର ବିମାନ ଯୋଗେ ସେମାନଙ୍କୁ ଦେଶକୁ ଆଣୁଥିବା କଥା ବି ସମସ୍ତେ ଜାଣନ୍ତି । ଲକ ଡାଉନ୍ ଘୋଷଣା ହେବାର ଠିକ୍ କିଛି ଦିନ ପୂର୍ବରୁ ବିଦେଶରୁ ଅନେକ ପ୍ରବାସୀ ଭାରତୀୟଙ୍କୁ ବିମାନ ଯୋଗେ ଦେଶକୁ ଅଣା ଯାଇଥିଲା ଆଉ ନିକଟରେ ମଧ୍ୟ ସରକାର ସେପରି କରିବେ ବୋଲି ଲୋକେ ଜାଣିଛନ୍ତି । ତେବେ ପ୍ରଶ୍ନ ଉଠେ ଯେ, ଯେଉଁମାନେ ନିଜ ଦେଶରେ ରହି ନିର୍ବାଚନ ସମୟରେ ଭୋଟ ଦେଲେ, ସରକାରଙ୍କ ଅନେକ ଯୋଜନାରେ ଅଂଶୀ ହେଲେ,ସେପରି ଲୋକଙ୍କ ଘର ବାହୁଡ଼ା ପ୍ରତି ସରକାର ଧ୍ୟାନ ନ ଦେଇ ବିଦେଶରେ ଥିବା ଲୋକଙ୍କ ସ୍ୱାର୍ଥ ପାଇଁ ସରକାର ଏତେ ଚିନ୍ତିତ କାହିଁକି, ସମସ୍ତଙ୍କ ମନରେ ଏ ପ୍ରଶ୍ନ! ସେମାନେ ଦିନ ମଜୁରିଆ, ଖଟିଖିଆ ଶ୍ରେଣୀର ଲୋକ ବୋଲି ସରକାର ସେମାନଙ୍କୁ ଗୁରୁତ୍ୱ ଦେବାକୁ ଅମଙ୍ଗ ହେଉ ନାହାନ୍ତି ତ? ଏକ ଜନମଙ୍ଗଳ ରାଷ୍ଟ୍ରରେ ଯେଉଁ ସରକାର ସର୍ବସାଧାରଣଙ୍କ ଧନଜୀବନକୁ ପ୍ରାଧାନ୍ୟ ନ ଦେଇ ମୁଷ୍ଟିମେୟ କେତେକ ଧନୀ ଶ୍ରେଣୀର ଲୋକଙ୍କୁ ପ୍ରାଧାନ୍ୟ ଦିଏ, ସେପରି ସରକାରକୁ କଣ କର୍ପୋରେଟ ମାନଙ୍କର ସରକାର ବୋଲି କୁହା ଯାଏନି? ଏଥିର ସତ୍ୟତା କେତେ, ତାହା ଅବଶ୍ୟ ଜନତା ବିଚାର କରିବେ । କିନ୍ତୁ ନିକଟରେ ଉତ୍ତର ପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟରେ ଶ୍ରମିକ ମାନଙ୍କ ନିମନ୍ତେ ଥିବା ଆଇନକୁ ଉଚ୍ଛେଦ କରିବାକୁ ଯେପରି ପଦକ୍ଷେପମାନ ନିଆ ଗଲାଣି, ତାହା ଦେଖିଲେ ସରକାରଙ୍କ ଆଭିମୁଖ୍ୟ କଣ ସ୍ପଷ୍ଟ ହେଉନି? ତା ଦେଖି ସରକାର ଜନସାଧାରଣଙ୍କ ମଙ୍ଗଳ ଚିନ୍ତା କରୁଛନ୍ତି ବୋଲି ଏବେ ବି କଣ ଲୋକେ କହିବେ? ସିଏଏ ଓ ଏନ୍‌ଆରସି ଭଳି କରୋନା ଭୂତାଣୁଟି ସରକାରଙ୍କ ପାଇଁ ଅନ୍ୟ ଏକ ଅସ୍ତ୍ର ସାଜିନି ତ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଜନସାଧାରଣଙ୍କ ମନରେ ଏବେ ଉଙ୍କି ମାରିଲାଣି । ପରୋକ୍ଷରେ ଯଦି କହିବା, ଏହି କରୋନା ସହ ଲଢ଼େଇ କରିବା ସମୟରେ ସରକାର ଗରିବ-ଖଟିଖିଆଙ୍କ ଦୁଃର୍ଦିନରେ ବୋଧହୁଏ ଖୁସି ଅଛନ୍ତି!

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସିଏଏ ଓ ଏନ୍‌ଆରସି ଭଳି କରୋନା ଭୂତାଣୁଟି ସରକାରଙ୍କ ପାଇଁ ଅନ୍ୟ ଏକ ଅସ୍ତ୍ର ସାଜିନି ତ?