(୧୮/୮) ଏକ ବଡ଼ ଘଟଣାକ୍ରମରେ ଓଡ଼ିଶା ରାଜ୍ୟ କମର୍ସିଏଲ ଟେକ୍ସ ଏଣ୍ଡ ଗୁଡ୍ସ ଏଣ୍ଡ ସର୍ଭିସେସ୍ ଟ୍ୟାକ୍ସ କମିସନର ୭୧୨ କୋଟି ଟଙ୍କାର ମିଥ୍ୟା ବିଲ ପ୍ରସ୍ତୁତ କରିଥିବା ଏକ ର୍ୟାକେଟର ପର୍ଦ୍ଦାଫାଶ କରି ଭୂତ ଫାର୍ମ ନାମରେ ବ୍ୟାପକ ମିଥ୍ୟା ଅର୍ଥ କାରବାର କରିଥିବା ଜଣାପଡ଼ିଛି । ଘଟଣାରେ ୧୨୯ କୋଟି ଟଙ୍କା ବିଭିନ୍ନ ଏକାଉଣ୍ଟରେ କାରବାର କରିଥିବା ମଧୁମିତା ଷ୍ଟିଲ ଏଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ କଶ୍ମିର କୁମାର ଅଗ୍ରୱାଲଙ୍କୁ ସମ୍ବଲପୁରରୁ ଗିରଫ କରିଛି । ଜିଏସ୍ଟି କମିସନରଙ୍କ କହିବାନୁଯାୟୀ, ଶ୍ରୀ ଅଗ୍ରୱାଲ କାମଧନ୍ଦା ଖୋଜୁଥିବା ସୁନ୍ଦରଗଡ଼ ଓ ସମ୍ବଲପୁର ଅଂଚଳର ଲୋକଙ୍କଠୁ ଦଲାଲ ମାଧ୍ୟମରେ ପାନକାର୍ଡ଼, ଆଧାରକାର୍ଡ଼ ଓ ଫଟୋ ସଂଗ୍ରହ କରୁଥିଲେ । ଉକ୍ତ କାଗଜପତ୍ରକୁ ନିଜ ସ୍ୱାର୍ଥ ପାଇଁ ସେସବୁକୁ ବ୍ୟବହାର କରି ସରକାରଙ୍କୁ ଠକୁଥିଲେ । ବିନା ବ୍ୟବସାୟିକ କାରବାରରେ ମଧ୍ୟ ସେ ଅନେକ ଏକାଉଣ୍ଟକୁ ପଇସା ଟ୍ରାନ୍ସଫର୍ କରୁଥିଲେ । ଏପରିକି ସେ ଗୋଟିଏ ଫାର୍ମରୁ ୧୩ କୋଟି ଟଙ୍କାର ମାଲ କିଣିଥିବା କାଗଜପତ୍ର ଶ୍ରୀ ଅଗ୍ରୱାଲ ଦେଖାଉଥିଲେ ବି ସେହି ଏକାଉଣ୍ଟକୁ ୩୮ କୋଟି ଟଙ୍କା ଟ୍ରାନ୍ସଫର୍ କରିଥିବା କମିସନର ପ୍ରକାଶ କରିଛନ୍ତି । ଅନେକ ସ୍ଥଳରେ ସେ ଟନ୍ ଟନ୍ ଲୁହା ଓ ଷ୍ଟିଲ ଜିନିଷକୁ ସ୍କୁଟର, ମୋଟରସାଇକେଲ, ଟ୍ରାକ୍ଟର ତଥା କାର ଯୋଗେ ପଠାଇଥିବା ସେ ଦର୍ଶାଇଛନ୍ତି ଯାହାକି ଆଦୌ ସମ୍ଭବ ନୁହେଁ ବୋଲି ଜିଏସ୍ଟି ବିଭାଗ ପକ୍ଷରୁ କୁହାଯାଇଛି । ୧୪ ଟି ମିଥ୍ୟା ଫାର୍ମ ନାମରେ ନିଜ ନାମରେ ଥିବା ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ୧୧୩ କୋଟି ଟଙ୍କାର ମିଥ୍ୟା ଜିଏସ୍ଟି କାରବାର କରିଥିବାବେଳେ ୧୨୯.୦୯ କୋଟି ଟଙ୍କାର ମିଥ୍ୟା ବିଲ୍ ପ୍ରସ୍ତୁତ କରି ଫାଇଦା ନେଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ଓଡ଼ିଶାରେ ୭୧୨ କୋଟି ଟଙ୍କାର ଜିଏସ୍ଟି ଠକେଇ, ଜଣେ ଅଭିଯୁକ୍ତ ସମ୍ବଲପୁରରୁ ଗିରଫ !
