ପୁଣି ସୁରତ ମୁହାଁ ଦାଦନ (ପ୍ରବନ୍ଧ)


-ବାସନ୍ତୀ ମହାନ୍ତି


ସଂସାରରେ ଯେଉଁମାନେ ଦୁଃଖି ତାଲିକା ଭୁକ୍ତ ହୋଇ ଥାଆନ୍ତି, ସେମାନଙ୍କ ମଧ୍ୟରେ ଚିର ପ୍ରବାସୀ ଅନ୍ତର୍ଭୁକ୍ତ । ନିଜ ଭିଟାମାଟି ଓ ପରିବାର ଛାଡ଼ି ଯେଉଁ ଚିରିଦିନ ପ୍ରବାସରେ କାଳ କାଟନ୍ତି ସେମାନେ ପ୍ରକୃତରେ ଖୁବ ଦୁଃଖୀ । ପେଟପାଟଣା ପାଇଁ ବିଦେଶରେ ପଡ଼ି ରହନ୍ତି । ଆତ୍ମୀୟ ସ୍ୱଜନମାନେ ଯୋଜନ ଯୋଜନ ଦୂରରେ ଅପେକ୍ଷା କରିଥାନ୍ତି ପରିବାରର ପୋଷଣାହାରୀର ଫେରନ୍ତା ବାଟକୁ । ପତ୍ନୀ ସଞ୍ଜବତୀ ଜାଳି ସ୍ୱାମୀର ଶୁଭ ମନାସୁଥାଏ ତ ମାଆ କାଉକୁ ଚାଉଳ ଦି’ମୁଠା ଥୋଇ ପୁଅର ଶୁଭାଶୁଭ ଖବର ନେଉଥାଏ । ଚାଳ ମଥାନ ଉପରେ କାଉଟାଏ କା’କା’ କଲେ ବଂଶଟା ଯାକ ଆଶାୟୀ ହୋଇ ଚାହିଁ ରହିଥା’ନ୍ତି ପ୍ରବାସୀ ମଣିଷଟି ଫେରି ଆସିବ କି? ଘରେ ପୂଜାପାର୍ବଣରେ ସମସ୍ତେ ମନେ ପକାନ୍ତି ପ୍ରବାସୀଟିକୁ ଘରେ ପିଠାପଣା ଭୁରି ଭୋଜନ ହେଉଥିବାବେଳେ ପ୍ରବାସୀଟି ହାତରେ ଦି’ଟି ଫୁଟେଇ ନହେଲେ କୋଉଠି ହୋଟେଲ କି ମଠମନ୍ଦିରରେ କି ମେସ୍‌ରେ ନିଜ ପେଟର ବ୍ୟବସ୍ଥା କରିଥାଏ । ଭଡ଼ାଘରଟିରେ ଏକୁଟିଆ କିମ୍ବା ସାଙ୍ଗ ଭଡ଼ାଟିଆ ମିଶି ସମୟ କାଟୁଥାଏ, ଯେଉଁଠି କେବଳ ଟଙ୍କା ପଇସାର ହିସାବ । ମାସ ଆରମ୍ଭରେ ଯାହା ପ୍ରାପ୍ୟ (ଘରଭଡ଼ାଠାରୁ ପାନଖିଆ ପର୍ଯ୍ୟନ୍ତ) ସବୁ ଗଣି ଦେଇ ବାକି ତକ ପଠେଇ ଦିଏ ଗାଁକୁ, ବାପ-ମାଆ-ଭାଇ-ଭଉଣୀ-ସ୍ତ୍ରୀ-ସନ୍ତାନଙ୍କ ପାଇଁ । ଦେହ ମୁଣ୍ଡ କଣ ହେଲେ କି କୌଣସି ବିପର୍ଯ୍ୟୟ କାଳ ଆସିଲେ ଖୁବ୍ ମନେ ପଡ଼ନ୍ତି ଗାଁ-ପତ୍ନୀ-ପୁତ୍ର-ପିତାମାତା ଆଦି ପରିବାର ସଦସ୍ୟ । ଜୀବନଟା ଭାରି ମୂଲ୍ୟବାନ ମନେ ହୁଏ, ତାକୁ ସାରୁପତ୍ରରେ ବାନ୍ଧିବା ପରି ବାନ୍ଧି ସେ ଧାଇଁ ଆସେ ନିଜ ଭିଟାମାଟିକୁ । କାଳେ କେତେବେଳେ କିଛି ଅଘଟଣ ଘଟିଯିବ ଆଉ ସେ ଦେଖି ପାରରିବ ନାହିଁ ଆତ୍ମୀୟ ସ୍ୱଜନଙ୍କ ମୁହଁ, ଯଦିବା ମୁତ୍ୟୁ ଆସେ ସେହି ଆତ୍ମୀୟ ସ୍ୱଜନମାନଙ୍କ ଗହଣରେ ମୃତ୍ୟୁକୁ ଆପଣେଇ ନେବା ପାଇଁ ଶ୍ରେୟ ମଣିବ ।
ଏବେ ଯେତେବେଳେ କରୋନା ଆତଙ୍କ ଚାରିଆଡ଼େ ବ୍ୟାପିଗଲା, ପ୍ରବାସରେ ଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଭିତରେ ଏଇ ମାନସିକତା ପ୍ରତିଫଳିତ ହେବା ସ୍ୱାଭାବିକ । ସେମାନେ ଚାହିଁଲେ ନିଜ ଭିଟାମାଟିକୁ ଫେରି ଆସିବାକୁ । ସେମାନଙ୍କର ଜୀବନ ଜୀବିକା ଅସୁରକ୍ଷିତ ହୋଇପଡ଼ିଲା । ପିମ୍ପୁଡ଼ି ଧାର ପରି ଛୁଟି ଆସିଲେ ନିଜ ମାଟିକୁ ଜୀବନ ବିକଳରେ ହାତ ଯୋଡ଼ି ଅନୁରୋଧ କଲେ ଓଡ଼ିଶା ସରକାରଙ୍କୁ । ସେଥିପାଇଁ ଅନେକ ବାକ୍ ବିତର୍କ ଚାଲିଲା ।
ଅନେକ ତୁମ୍ବତୋଫାନ ପରେ ହାଇକୋର୍ଟରୁ ମାମଲା ପହଂଚିଲା ସୁପ୍ରିମକୋର୍ଟରେ । ପ୍ରବାସୀ ଶ୍ରମିକ ମାନଙ୍କୁ ଓଡ଼ିଶା ଅଣା ନଯାଉ, ସେମାନେ ସେଇଠି ଥାଆନ୍ତୁ । ଓଡ଼ିଶା ଆସିଲେ କରୋନା ଭୂତାଣୁ ଅଣାୟତ୍ତ ହୋଇଯିବ । ସେତେବେଳକୁ ଓଡ଼ିଶାରେ କରୋନା ଭୂତାଣୁ ଉପକ୍ରମ କରୁଥିଲା ତା ରୂପ ପ୍ରଦର୍ଶନ କରିବା ପାଇଁ । ତାକୁ ନିୟନ୍ତ୍ରଣ କରିବା ପାଇଁ ଚାଲୁଥିଲା ପ୍ରକ୍ରିୟା, କିନ୍ତୁ ପ୍ରବାସୀମାନେ ସେଠି କି ଅବସ୍ଥାରେ ଥିଲେ କମ ଲୋକ ସେ କଥା ଜାଣନ୍ତି । ପାରାଭାଡ଼ି ପରି ଘରେ ଚାହିଁ ସିଫ୍ଟ ଡିଓଟି କରୁଥିବା ଅଧିକାରୀ-ଶ୍ରମିକ କାରଖାନା ବନ୍ଦ ହେଲେ ଘଣ୍ଟାଏ ଦୁଇ ଘଣ୍ଟା ବି ରହି ପାରିବେ ନାହିଁ ସେ ଘରେ । ସେମାନଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରି ସାରି ଲକ୍‌ଡାଉନ୍ ଘୋଷଣା କରାଯାଇ ପାରିଥାନ୍ତା । ମାସ ଶେଷ ହୋଇ ନାହିଁ, ଖାଇବାକୁ ଖାଦ୍ୟ ନାହିଁ, ରହିବାକୁ ଘର ନାହିଁ, ଘରମାଲିକ ଘରୁ ବାହାର କରିଦେଲା । ପୋକମାଛି ପରି ରାଜରାସ୍ତାରେ ଛିନ୍ନଛତ୍ର ହୋଇ ଚାଲିଲେ, ଯାହା କେବେ ଇତିହାସରେ ଦେଖା ଯାଇ ନଥିଲା ସେହିଭଳି ଘଟଣା ଲୋକଙ୍କୁ ଦେଖିବାକୁ ମିଳିଲା । ମରି ପଡ଼ି ଅଧା ପ୍ରାଣ ହୋଇ ଫେରିଲେ କେହି ଜଳପଥ-ସ୍ଥଳପଥରେ । ପାଦରେ ଚାଲିଚାଲି ଶହଶହ କିଲୋମିଟର ଦୂର, ବାଟରେ କେହି କେହି ମରି ବି ଗଲେ, ଟ୍ରେନ ତଳେ ବସ୍ ଦୁର୍ଘଟଣାରେ ମାର୍ଚ୍ଚ ମାସର ଖରାରେ । ବିଭିନ୍ନ ଦୁର୍ଘଟଣାରେ ଜୀବନ ଗଲା । ବାକି ଯେଉଁମାନେ ସରକାରୀ ବ୍ୟବସ୍ଥାରେ ଆସିଲେ, ସେମାନଙ୍କ ମଧ୍ୟରେ ବି ବାରମ୍ବାର ବସ୍ ଦୁର୍ଘଟଣାରେ କେତେକଙ୍କ ଜୀବନ ଗଲା । ଆଉ ଯେଉଁମାନେ ଭିଟାମାଟିକୁ ଫେରିଲେ ସାଙ୍ଗରେ ଆଣିଲେ କରୋନା ଭୂତାଣୁ ଓ ସାରା ରାଜ୍ୟରେ କୋଭିଡ୍ ବ୍ୟାପିଗଲା ବୋଲି ଅଭିଯୋଗ ଉଠିଲା । ପ୍ରବାସୀମାନଙ୍କୁ ସମସ୍ତେ ଛି’ଛାକର କଲେ । ବିଶେଷ କରି ଗଞ୍ଜାମ ଜିଲ୍ଲା ଅଣାୟତ୍ତ ହୋଇଗଲା । ରାସ୍ତାଘାଟରେ ଲୋକେ ମରି ପଡ଼ିଥିବାର ଦୃଶ୍ୟ ସୋସିଏଲ ମିଡିଆରେ ଖେଳିଗଲା । ଅନ୍ୟ ଜିଲ୍ଲାର ଲୋକେ ଗଞ୍ଜାମ ଜିଲ୍ଲାର ଲୋକଙ୍କୁ ପୁରାଇ ଦେଲେ ନାହିଁ । ସରକାରୀ ପ୍ରତିବନ୍ଧକ ମଧ୍ୟ ଲଗାଗଲା ଗଞ୍ଜାମବାସୀ ପାଇଁ । ସମସ୍ତେ ତୁଚ୍ଛ ତାଛଲ୍ୟ କଲେ ଗଞ୍ଜାମବାସୀଙ୍କୁ । କିନ୍ତୁ ଖୁବ୍ ଶୀଘ୍ର ଗଞ୍ଜାମ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ସହଯୋଗରେ କରୋନାକୁ ନିୟନ୍ତ୍ରଣରେ ଆଣି ପାରିଲେ । ଏବେ ସେଠାରେ ଛିଡ଼ା ହୋଇଛି ଆଉ ଗୋଟିଏ ସମସ୍ୟା ।
କୋଭିଡ୍ ୧୯ ଆମକୁ ସୂଚନା ଦେଲା ଯେ ଆମ ରାଜ୍ୟର ସତର-ଅଠର ଲକ୍ଷ ଲୋକ ବାହାରେ ଦାଦନ ଖଟନ୍ତି । ସେମାନଙ୍କ ପାଇଁ ଓଡ଼ିଶା ସରକାର ନିଜ ମାଟିରେ କିଛି କରନ୍ତି ନାହିଁ । କେବଳ ନିର୍ବାଚନ ସମୟରେ ସୁରାଟରେ ସେଲିବ୍ରିଟିଙ୍କ ଭିଡ଼ କଥା ଆମେ ଗଣମାଧ୍ୟମରେ ଦେଖୁ । ଯେଉଁମାନଙ୍କ ପାଇଁ ସେମାନେ ସେଠାରେ କାମ କରନ୍ତି, ସେମାନେ ଜୀବନ ମରଣ ସମସ୍ୟାବେଳେ ପାଖରେ ଛିଡ଼ା ହେଲେ ନାହିଁ । ବେଡ଼ି ଉପରେ କୋରଡ଼ା ପରି ଘରୁ ବାହାର କରିଦେଲେ । ଦରମା ବି ମିଳିଲା ନାହିଁ, ଅସୁରକ୍ଷିତ ମନେ କରିବାରୁ ଚାଲି ଆସିଲେ ନିଜ ଭିଟା ମାଟିକୁ । ଅସମୟରେ ଆପଣାର ଲୋକଙ୍କ ପାଖକୁ ଆସିବାକୁ ଚାହିଁଲେ, କେତେକ ନିଜ ଚେଷ୍ଟାରେ ତ ଆଉ କେତେକ ସରକାରୀ ସହାୟତାରେ.
ଏବେ ଏମାନେ ପୁଣି ଥରେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ସୁରାଟ ସେମାନଙ୍କ ପାଇଁ ଭାତହାଣ୍ଡି । କିଛି ଲୋକ ସେଠି ଦାଦନ ଖଟୁଥିବାବେଳେ ସେଠି ଆଉ କିଛି ଲୋକ ଘରଦ୍ୱାର କରି ରହିଗଲେଣି । ଏପରିକି ଜଣେ ଅଧେ କେତୋଟି ମିଲ୍‌ର ମାଲିକ ବି ହୋଇଗଲେଣି । କିନ୍ତୁ ଏମାନଙ୍କ ଖବର ସରକାର ବୁଝୁ ନଥିଲେ କି ଏବେ ସୁଦ୍ଧା ବୁଝିବାର ଆବଶ୍ୟକତା ଅନୁଭବ କରୁଥିବା ମନେ ହୁଏ । ଯେଉଁ ତୁମ୍ବିତୋଫାନରେ ସେମାନେ ଅଣାଯାଇଥିଲେ, ଏବେ ନିଃଶଦ୍ଦରେ ସେମାନେ ଯେମିତି ଫେରି ଯାଉଛନ୍ତି ତାର ଖବର ବୋଧହୁଏ ଗଣମାଧ୍ୟମ ପର୍ଯ୍ୟନ୍ତ ପହଂଚି ପାରୁ ନାହିଁ । ପ୍ରତିଦିନ ଶହଶହ ଶ୍ରମିକଙ୍କୁ ଧରି ଗାଡ଼ି ଯାଉଛି ସୁରାଟ ଅଭିମୁଖେ । କରୋନା କବଳିତ ସୁରାଟଠାରୁ କ୍ଷୁଧା କବଳିତ ଓଡ଼ିଶା ସେମାନଙ୍କୁ ଅଧିକ ଅସୁରକ୍ଷିତ ମନେ ହେଉଛି, ସେମାନେ ପୁଣି ଫେରି ଯାଉଛନ୍ତି ଅଭିମାନରେ । ଯେଉଁ ଓଡ଼ିଆମାନେ ବି ସେଠି ମିଲ୍ ମାଲିକ ହୋଇଛନ୍ତି, ସେମାନଙ୍କୁ ଏଠି ମିଲ୍ ବସାଇବା ପାଇଁ ଉତ୍ସାହିତ କରାଯାଇ ପାରନ୍ତା । ଓଡ଼ିଶାରେ ଜାଗାର ଅଭାବ ନାହିଁ, ଶ୍ରମିକଙ୍କୁ ଅଭାବ ନାହିଁ, ମିଲ୍‌ମାଲିକଙ୍କର ବି ଅଭାବ ନାହିଁ । କେବଳ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ପିଢ଼ି ପିଢ଼ି ହେଲା ଆମର ଯୁବ ପିଢ଼ି ପ୍ରବାସୀ ଶ୍ରମିକ ହୋଇ ରହି ଆସୁଛନ୍ତି । ସେମାନଙ୍କ ମୁକ୍ତି ପାଇଁ କ’ଣ କାହାର ଦାୟିତ୍ୱବୋଧ ନାହିଁ ?

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପୁଣି ସୁରତ ମୁହାଁ ଦାଦନ (ପ୍ରବନ୍ଧ)