(୧୦/୧୦/୨୦୨୦) ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାର ପୀଡ଼ିତାଙ୍କ ପରିବାର ଓ ଜନସାଧାରଣଙ୍କୁ ଭୁଆଁ ବୁଲଉଥିବା ଏବେ ଚାରିଆଡ଼େ ଚର୍ଚ୍ଚା ହେଲାଣି । ଗତ ୩ ତାରିଖ ଦିନ ସରକାର ଏହାର ତଦନ୍ତ ସିବିଆଇ ଦ୍ୱାରା କରାଯିବ ବୋଲି ଘୋଷଣା କରିଥିଲେ ବି ଦୀର୍ଘ ୭ ଦିନ ପରେ ବି ଏହି ମାମଲାଟି ସିବିଆଇକୁ ହସ୍ତାନ୍ତର ହୋଇ ନାହିଁ ବୋଲି ଅଭିଯୋଗ ହୋଇଛି । ଏହି ମାମଲାରେ ସରକାର ଅପରାଧୀ ପକ୍ଷକୁ ପୂର୍ଣ୍ଣ ସହଯୋଗ କରୁଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ସାତ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବ ବୋଲି କହିଥିବାବେଳେ ଏବେ ଏସଆଇଟି ଆହୁରି ଦଶ ଦିନ ସମୟ ମାଗିଛି । ଗତକାଲି ପୀଡ଼ିତାଙ୍କ ପରିବାରର ନାବାଳକ ସଦସ୍ୟ ଆହ୍ଲାବାଦ ହାଇକୋର୍ଟକୁ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ । ପୋଲିସ ସେମାନଙ୍କୁ ବନ୍ଦୀ ଭାବେ ରଖିଛି ଓ ସେମାନଙ୍କୁ କୁଆଡ଼େ ଯିବା ପାଇଁ ବହୁ ଅସୁବିଧା ହେଉଛି ତେଣୁ ସେମାନଙ୍କୁ ଏଥିରୁ ମୁକ୍ତି ମିଳୁ ବୋଲି ସେ ଆବେଦନ କରିଥିଲେ । ତେବେ ଏବେ ମଧ୍ୟ ଲୋକେ ବିଭିନ୍ନ ଅଂଚଳରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଆୟୋଜନ କରୁଥିବା ଦେଖିବାକୁ ମିଳୁଛି । ଘଟଣାକୁ ବୈଦେଶୀକ ଶକ୍ତିର ଏକ ଷଡ଼ଯନ୍ତ୍ର ଭାବେ ଚିତ୍ରଣ କରି ସରକାର ଘଟଣାକୁ ଚାପି ଦେବାକୁ ବସିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଦେଶରେ ଯଦି ଦଳିତ ପରିବାରର କୌଣସି ସଦସ୍ୟ ଉପରେ ଉଚ୍ଚ ଜାତିର ଲୋକଙ୍କ ଅତ୍ୟାଚାର ହୁଏ, ତେବେ ତା ବିରୁଦ୍ଧରେ ପୋଲିସ୍ ଉପରେ ଭରସା କରି ଅଭିଯୋଗ କଲେ ବି ଆଉ କିଛି ଲାଭ ମିଳୁ ନାହିଁ । ତେଣୁ ଦଳିତ ଲୋକେ ବର୍ତ୍ତମାନ ଭଗବାନ ଭରସାରେ ଦିନ କାଟିବା କଥା ବୋଲି ଅନେକେ କହିଥିବା ଶୁଣିବାକୁ ମିଳିଲାଣି । ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁଯାୟୀ ଦେଶରେ ପ୍ରତ୍ୟହ ୧୦ ଜଣ ଦଳିତ ମହିଳା (୮୮ ଜଣ ଭିତରୁ)ଙ୍କ ସହ ଦୁଷ୍କର୍ମ ହେଉଛି । ତେବେ ଜନସାଧାରଣ ବର୍ତ୍ତମାନ ସଚେତନ ନ ହେଲେ ସିରିଆରେ ଯେପରି ମହିଳା ମାନଙ୍କ ଉପରେ ଅତ୍ୟାଚାର ହେଉଥିବା ଶୁଣିବାକୁ ମିଳେ, ସେହିପରି ପରିସ୍ଥିତି ଏଠାରେ ଯେ ନ ହେବ କିଏ ବା କହିପାରେ ?
ହାଥରସ୍ ମାମଲାର ସିବିଆଇ ତଦନ୍ତ ଘୋଷଣା ଉତ୍ତରପ୍ରଦେଶ ସରକାରଙ୍କ କେବଳ ଏକ ଧୂଆଁବାଣ !
