(୨୯/୯) ଆଜି ରାଜ୍ୟରେ ୧୫ ଜଣ ଲୋକ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବାବେଳେ ଦେଶରେ ୭୭୬ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ତେବେ ଏହା ସହା ମୃତ୍ୟୁସଂଖ୍ୟା ରାଜ୍ୟରେ ୮୨୮ ହୋଇଥିବାବେଳେ ଦେଶରେ ୯୬,୩୧୮ ଓ ବିଶ୍ୱରେ ୧୦ ଲକ୍ଷକୁ ଟପି ଯାଇଥିବା ସୂଚନା ମିଳିଛି । ତେବେ ବିଶ୍ୱରେ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବା ଏହି ୧୦ ଲକ୍ଷ ଲୋକଙ୍କ ଭିତରୁ ଆମେରିକା, ବ୍ରାଜିଲ୍ ଓ ଭାରତରେ ପାଖାପାଖି ୫୦% ଲୋକ ମୃତ୍ୟୁ ବରଣ କରିଥିବା ଜଣାପାଡ଼ିଛିି । ‘ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟ’ର ତଥ୍ୟ ଅନୁଯାୟୀ ଗତ ସାତ ଦିନରେ ବିଶ୍ୱରେ ଦୈନିକ ପ୍ରାୟ ୫୩୦୦ ଜଣ ଲୋକ ମୃତ୍ୟୁ ବରଣ କରୁଛନ୍ତି ଓ ଯଦି ଏହିପରି ଭାବରେ ଲାଗି ରହେ ତେବେ ବର୍ଷ ଶେଷ ଆଡ଼କୁ ଆହରୁ ୫ ଲକ୍ଷ ଲୋକ କରୋନା ଯୋଗୁଁ ମୃତ୍ୟୁ ବରଣ କରିବା ସମ୍ଭାବନା ରହିଥିବା ଜଣାପଡ଼ିଛି । ଚୀନର ଉହାନ୍ ସହରରେ ପ୍ରଥମ କରୋନା ଜନିତ ମୃତ୍ୟୁ ଘଟଣା ଜାନୁୟାରୀ ୧୧ ରେ ଘୋଷଣା କରାଯାଇଥିଲା । ଫେବୃୟାରୀ ଶେଷ ସୁଦ୍ଧା ଦକ୍ଷିଣ କୋରିଆ, ଇରାନ୍ ଓ ଇଟାଲୀରେ ୧୦୪ ଜଣ ମୃତ୍ୟୁ ବରଣ କରିଥିବାବେଳେ ଏପ୍ରିଲ ମାସର ମଧ୍ୟବର୍ତ୍ତୀ ସମୟରେ ଦୈନିକ ମୃତ୍ୟୁସଂଖ୍ୟା ଆମେରିକା, ପଶ୍ଚିମ ଇଉରୋପ ଓ ନ୍ୟୁୟର୍କରେ ହୁ ହୁ ହୋଇ ବଢ଼ିଥିଲା । ମେ ମାସର ପ୍ରଥମ ଆଡ଼କୁ ଯଦିବା ପରିସ୍ଥିତି ସୁଧୁରୁ ଥିବା ଦେଖାଯାଇଥିଲା, ତଥାପି ଆମେରିକାରେ ଦୈନିକ ମୃତ୍ୟୁସଂଖ୍ୟା ୧୦୦୦ ଥିଲା । ବର୍ତ୍ତମାନ ଭାରତରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ଆଡ଼କୁ ଅଗ୍ରସର ହେଉଥିବାବେଳେ ବିଶ୍ୱର ୩୦% ଲୋକ କେବଳ ଆମେରିକାରେ ମୃତ୍ୟୁ ବରଣ କରୁଛନ୍ତି । ୬୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଶମାନଙ୍କ ଭିତରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଆମେରିକା ଏବେ ବି ପ୍ରଥମ ସ୍ଥାନରେ ରହିଛି । ଭାରତରେ ପାଖାପାଖି ୮୦,୦୦୦ ଲୋକ ଦୈନିକ ଚିହ୍ନଟ ହେଉଥିବାବେଳେ ଜାତିସଂଘର ପୋର୍ଟାଲ ଅନୁଯାୟୀ ଗତକାଲି ଆମେରିକାରେ ୪୮,୯୫୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଦୈନିକ ୪୨,୨୭୧ ଜଣ ଦୁଇ ସପ୍ତାହ ପୂର୍ବେ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଆମେରିକାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୭୩,୬୧,୮୮୯ ଥିବାବେଳେ ଭାରତରେ ଏହା ୬୧,୪୫,୨୯୨ ଅଛି । ଗତକାଲି ଭାରତରେ ୮୨,୧୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆମେରିକାରେ ୩୭,୨୩୪ ଜଣ ଚିହ୍ନଟ ହୋଇଛନ୍ତି ଓ ଭାରତରେ ୧୦୩୯ ଜଣ ମୃତ୍ୟୁ ବରଣ କରିଥିବାବେଳେ ଆମେରିକାରେ ୩୪୪ ଜଣ ମୃତ୍ୟୁ ବରଣ କରିଛନ୍ତି । ତେବେ ଭାରତରେ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛିି, ଏହା ଆମେରିକାକୁ ପଛରେ ପକାଇ ବିଶ୍ୱରେ ପ୍ରଥମ ସ୍ଥାନରେ ରହିବା ସମ୍ଭାବନାକୁ ଆଉ ଏଡ଼ାଇ ଦିଆଯାଇ ପାରିବ ନାହିଁ ।
କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିଲା, ଆକ୍ରାନ୍ତ ଚିହ୍ନଟରେ ଭାରତ ହେବ ବିଶ୍ୱରେ ୧ ନମ୍ବର ଦେଶ !
