ହିନ୍ଦୀ ଫିଲ୍ମ ଦୁନିଆରେ ଜାତିପ୍ରଥା : ଆମ୍ବେଦକରଙ୍କ ଫଟୋଟିଏ ୧୯୮୫ ଯାଏଁ ବି ଦେଖାଗଲାନି !


(୧୦/୮) ପୂର୍ବରୁ ଜାତିପ୍ରଥା ଯେ କେତେ ପ୍ରଚଳିତ ଥିଲା, ତାହା କହିବା ପ୍ରୟୋଜନ ନାହିଁ । କିନ୍ତୁ ସମାଜ ପରିବର୍ତ୍ତନ ହେଲା, ଦେଶରେ ସ୍ୱାଧିନତା ଆସିଲା । ତଥାପି ବି ଲୋକଙ୍କ ମନରୁ ଜାତପ୍ରଥାଟା ଗଲାନି । ବିଭିନ୍ନ ସ୍ତରରେ ଏହା ଦେଖିବାକୁ ମିଳିଲା । ଏବେ ମଧ୍ୟ ସେ ଜାତିପ୍ରଥାଟା ପୁରାପୁରି ଭାବେ ଚାଲିଗଲାଣି ବୋଲି କେହି ଦାବୀ କରିପାରିବେ ନାହିଁ । ତେବେ ଦେଶ ସ୍ୱାଧିନ ହେବାର ୩୮ ବର୍ଷଯାଏଁ ମଧ୍ୟ କୌଣସି ଦୃଶ୍ୟରେ ଡଃ ଭୀମରାଓ ଆମ୍ବେଦକରଙ୍କ ଫଟୋଟିଏ ଦେଖିବାକୁ ମିଳୁ ନଥିଲା । ଉଦାହରଣସ୍ୱରୂପ, ୧୯୮୨ ମସିହାରେ ହଲିଉଡ୍ ନିର୍ଦ୍ଦେଶକ ରିଚାଡଙ୍କ ଦ୍ୱାରା ନିର୍ମିତ ସାଢ଼େ ତିନି ଘଣ୍ଟାର ଫିଲ୍ମ ‘ଗାନ୍ଧୀ’ ରେ ଆମ୍ବେଦକରଙ୍କୁ ପ୍ରକୃତରେ କିପରି ସମ୍ମାନ ଦିଆଯାଉଥିଲା, ତାହା ଦେଖିବାକୁ ମିଳେ । ଏହି ଫିଲ୍ମରେ ଆମ୍ବେଦକରଙ୍କ ଚରିତ୍ରରେ କେହି ଅଭିନୟ କରିବା ତ ବହୁ ଦୂରର କଥା, ଚଳଚ୍ଚିତ୍ରଟିରେ ଆମ୍ବେଦକରଙ୍କ ନାମ ସୁଦ୍ଧା କେହି ନେଇ ନଥିବା ଅଭିଯୋଗ ହୋଇଛି । ଏହା ଆଶ୍ଚର୍ଯ୍ୟର ବିଷୟ ଯେ, ଦେଶର ସମ୍ବିଧାନ ପ୍ରଣେତା ତଥା ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ ଯିଏ କି ଦଳିତ ଓ ମହିଳାମାନଙ୍କ ପକ୍ଷରେ ଓକିଲାତି କରୁଥିଲେ, ତାଙ୍କ ପ୍ରତି ଶିକ୍ଷିତ ବର୍ଗର ଲୋକ କିପରି ଭାବନା ରଖୁଥିଲେ, ଏଥିରୁ ଅନୁମେୟ ।
ସବର୍ଣ୍ଣ ପ୍ରଯୋଜକ ଓ ନିର୍ଦ୍ଦେଶକ ଫିଲ୍ମ ନିର୍ମାଣ କରୁଥିବାରୁ ଆମ୍ବେଦକରଙ୍କୁୁ ସେମାନେ ଦେଖାଇବାକୁ କୁଣ୍ଠାବୋଧ କରୁଥିଲେ । ଫିଲ୍ମରେ ମହାତ୍ମା ଗାନ୍ଧୀ, ବାଲ ଗଙ୍ଗାଧର ତିଲକ୍‌, ଜବାହରଲାଲ୍ ନେହେରୁ, ଲାଲ୍ ବାହାଦୁର ଶାସ୍ତ୍ରୀ, ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ କେବଳ ଫିଲ୍ମରେ ଦେଖିବାକୁ ମିିଳୁଥିଲା ବୋଲି ଏଥିରେ ଉଲ୍ଲେଖ ରହିଛି । ବଲିଉଡ୍‌ରେ ଯେତେବେଳେ କୌଣସି ଦଳିତଙ୍କ କାହାଣୀକୁ ବ୍ୟବହାର କରାଯାଉଥିଲା, ସେତେବେଳେ ମଧ୍ୟ ସେଥିରେ ଡଃ ଆମ୍ବେଦକରଙ୍କ ନାମ ନଥିଲା । ୧୯୫୯ ମସିହାରେ ନିର୍ମିତ ହିନ୍ଦୀ ଫିଲ୍ମ-‘ସୁଜାତା’ରେ ଜଣେ ଉଚ୍ଚ ଜାତିର ଭୂମିକାରରେ ଥିବା ହିରୋ ସୁନୀଲ ଦତ୍ତ ଏକ ଦଳିତ ଭୂମିକାରେ ଥିବା ହିରୋଇନ୍ ନୂତନଙ୍କୁ ପ୍ରେମ କରୁୁଥିଲେ । ସୁନୀଲ ଦତ୍ତ ସେଠାରେ ଏକ ସ୍ୱାଧୀନଚେତା ଯୁବକର ଭୂମିକାରେ ଥିଲେ ବି ସେ ତାଙ୍କ ଘରେ କେବଳ ରବୀନ୍ଦ୍ରନାଥ ଠାକୁର, ମହାତ୍ମା ଗାନ୍ଧୀ ଓ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଦେଖିବାକୁ ମିଳେ । ଏପରିକି ତପନ ସିହ୍ନାଙ୍କ ନିର୍ମିତ ହିନ୍ଦୀ ଫିଲ୍ମ-‘ଜୀନ୍ଦେଗି ଜୀନ୍ଦେଗି’ ରେ ଡାକ୍ତର ଭୂମିକାରେ ଏକ ଦଳିତ ପରିବାରର ହୋଇଥିଲେ ବି ସେଥିରେ କୌଣସି ସ୍ଥାନରେ ଡଃ ଆମ୍ବେଦକରଙ୍କ ଚିହ୍ନବର୍ଣ୍ଣ ନଥିବା ଦର୍ଶାଯାଇଛି ।
କେବଳ ଯେ ଆମ୍ବେଦକରଙ୍କ ଫଟୋ ଫିଲ୍ମରେ ନ ଥିଲା ତାହା ନୁହେଁ, କୌଣସି କୋର୍ଟରୁମ, ପୋଲିସ୍ ଷ୍ଟେସନ୍ କି କୌଣସି ସରକାରୀ କାର୍ଯ୍ୟାଳୟରେ ମଧ୍ୟ ତାଙ୍କର ଫଟୋଟିଏ ଦେଖିବାକୁୁ ମିଳୁ ନଥିଲା । କିନ୍ତୁ ଭାରତ ସ୍ୱାଧିନତାର ୩୮ ବର୍ଷ ପରେ ଅର୍ଥାତ୍ ୧୯୮୫ ମସିହାରେ ନିର୍ଦ୍ଦେଶକ ଜେ ଓମ୍ ପ୍ରକାଶଙ୍କ ଦ୍ୱାରା ନିର୍ଦ୍ଦେଶିତ ରାଜେଶ ଖାନ୍ନା ଓ ସ୍ମିତା ପଟେଲଙ୍କୁ ନେଇ ନିର୍ମିତ ହିନ୍ଦୀ ଫିଲ୍ମ-‘ଆଖୀର କ୍ୟୁଁ’ ରେ ୍‌ପ୍ରଥମ ଥର ପାଇଁ ଆମ୍ବେଦକରଙ୍କ ଫଟୋ ସ୍ମିତା ପାଟିଲ୍ କାମ କରୁଥିବା ଦୂରଦର୍ଶନ କାର୍ଯ୍ୟାଳୟରେ ସେ ବସୁଥିବା ଚୌକିର ଡାହାଣ ପାଶ୍ୱର୍ର ଉପରେ ଦେଖିବାକୁୁ ମିଳିଥିଲା ।
କୁହାଯାଏ ଯେ, ରାଜୀବ ଗାନ୍ଧୀଙ୍କ ତିରୋଧାନ ପରେ ବିଶ୍ୱନାଥ ପ୍ରତାପ ସିଂ ପ୍ରଧାନମନ୍ତ୍ରୀ ହେବା ପରେ ଡଃ ଆମ୍ବେଦକରଙ୍କ ଏକ ଫଟୋକୁ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ସ୍ଥାପନ କରାଯାଇଥିଲା ଓ ୧୯୯୧ ମସିହାରେ ତାଙ୍କୁୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ପରେପରେ ଡଃ ଆମ୍ବେଦକରଙ୍କ ଉପରେ ଅନେକ ଟିଭି, ରେଡିଓ ଓ ଚଳଚ୍ଚିତ୍ର ପରିବେଷିତ ହେଲା । କାଂଶୀରାମଙ୍କ ‘ବହୁଜନ ସମାଜ ପାର୍ଟି’ ର ଶକ୍ତି ଦିନକୁ ଦିନ ବୃଦ୍ଧି ପାଇବା ପରେ ୧୯୯୫ ପରେପରେ ଡଃ ଆମ୍ବେଦକରଙ୍କ ଫଟୋ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଶୋଭା ପାଇବାକୁୁ ଲାଗିଲା । କିନ୍ତୁ ନିର୍ଦ୍ଦେଶକ ଜବ୍ୱର ପଟେଲଙ୍କ ଦ୍ୱାରା ୨୦୦୦ ମସିହାରେ ନିର୍ମିତ ଇଂରାଜୀ-ହିନ୍ଦୀ ଫିଲ୍ମ-‘ଡଃ ବାବାସାହେବ ଆମ୍ବେଦକର’ ରେ ଆମ୍ବେଦକରଙ୍କ ଜୀବନ, ଶିକ୍ଷା, ରାଜନୀତି ଓ ବୃତ୍ତି ଉପରେ ପୁରାପୁରି ଆଲୋକପାତ କରଯାଇଛି ବୋଲି ‘ଦ ପ୍ରିଣ୍ଟ’ରେ ପ୍ରକାଶ ପାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ହିନ୍ଦୀ ଫିଲ୍ମ ଦୁନିଆରେ ଜାତିପ୍ରଥା : ଆମ୍ବେଦକରଙ୍କ ଫଟୋଟିଏ ୧୯୮୫ ଯାଏଁ ବି ଦେଖାଗଲାନି !