(୦୫/୭) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବାବେବିରା କେନାଲପଡ଼ାରେ ପ୍ରାୟ ୭୦ ବର୍ଷ ଧରି ରହି ଆସିଥିବା ୩୦ ଦୀନମଜୁରିଆ ପରିବାର ସେମାନଙ୍କ ବାସସ୍ଥାନକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି । ନାରେନ ଦାଶ ନାମକ ଜଣେ ବ୍ୟକ୍ତି ବଳପୂର୍ବକ ଏହି ପରିବାରମାନଙ୍କୁ ସେଠାରୁ ବିତାଡ଼ିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ନାରେନ ଦାସଙ୍କ କହିବା ଅନୁସାରେ ଏହି ୩୦ ପରିବାର ରହୁଥିବା ଜାଗାଟି ତାଙ୍କର ଅଟେ । ଦୀର୍ଘ ବର୍ଷ ରହିବା ପରେ ସେମାନଙ୍କୁ ବିତାଡ଼ିତ କରିବାକୁ ଉଦ୍ୟମ କରିବାରୁ ସେମାନେ ଏହାର ପ୍ରତିବାଦ କରିଥିଲେ, ଫଳରେ ଜନୈକ ବ୍ୟକ୍ତି ସେମାନଙ୍କ ଘରକୁ ଭଙ୍ଗାରୁଜା କରିବା ସହ ସେମାନଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ପୀଡ଼ିତ ପରିବାରର ଲୋକେ ଅତାବିରା ଥାନାରେ ଅଭିଯୋଗ କରିଥିଲେ, ହେଲେ ଅଭିଯୋଗ କରିବାର ଇତିମଧ୍ୟରେ ଛଅ ମାସ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ି ନାହିଁ । ଏ ସମ୍ପର୍କରେ ଯଦି ସ୍ଥାନୀୟ ପୋଲିସ୍ ତୁରନ୍ତ କୌଣସି ପଦକ୍ଷେପ ନ ନିଏ, ତେବେ ପୀଡ଼ିତ ପରିବାରର ଲୋକେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିବାକୁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି ।
ବରଗଡ଼ର ୩୦ ଗରିବ ପରିବାର ଏବେ ଆତଙ୍କିତ, ବାସସ୍ଥାନକୁ ନେଇ ଅନିଶ୍ଚିତତା !
